ଛାତ୍ର-ଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଏଣିକି ମିଳିବ ୯ ହଜାରରୁ ଉର୍ଦ୍ଧ୍ୱ ମେଧାବୃତ୍ତି
1 min readଭୁବନେଶ୍ବର:୧୩/୦୨(ବ୍ୟୁରୋ)- +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମେଧାବୃତ୍ତି । ଛାତ୍ରଙ୍କୁ ୯ ହଜାର ଟଙ୍କା ମେଧାବୃତ୍ତି ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଦିଆଯିବ ।ଚଳିତ ବର୍ଷରୁ ମିଳିବ ଏହି ମେଧାବୃତ୍ତି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଟଙ୍କା ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ । ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ଶହ କୋଟିର କର୍ପସ ଫଣ୍ଡ୍ ବ୍ୟବସ୍ଥା। ନୂଆ ଓ କାର୍ଯ୍ୟକ୍ରମ ଲାଗି ଏ କର୍ପସ ଫଣ୍ଡ୍ । କୋ-କରିକୁଲାର ଆକ୍ଟିଭିଟିଜ୍ ପାଇଁ ଏକ୍ସଟ୍ରା ପଏଣ୍ଟ ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼ିବ। କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ । ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ମେଧାବୃତ୍ତି ଆକାରରେ ମିଳିବ।
ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ହେବ । ଏ ସବୁଥିରେ ଭାଗନଲେ ମେଧାବୃତ୍ତି ଟଙ୍କା ବଢ଼ି ଚାଲିବ। ଅଂଶଗ୍ରହଣ କଲେ ଅଧିକ ଇନସେଣ୍ଟିଭସ ମିଳିବ । ଛାତ୍ରମାନେ ୯ ହଜାରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ । ସେହିଭଳି ଛାତ୍ରୀମାନେ ୧୦ ହଜାରରୁ ୧୫ ଟଙ୍କା ପର୍ଯ୍ୟନ୍ତ ମେଧାବୃତ୍ତି ପାଇପାରିବେ । ତେବେ ସରକାରୀ କର୍ମଚାରୀଙ୍କ ପିଲା ପାଇବେନି ଏହି ମେଧାବୃତ୍ତି। ଆୟକରଦାତାଙ୍କ ପିଲା ମଧ୍ୟ ପାଇବେନି ଏହି ମେଧାବୃତ୍ତି । ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନୂଆ-ଓ ମ୍ୟାଜିକ କାର୍ଡର ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ଼। ଏହି ନୂଆ-ଓ ମ୍ୟାଜିକ୍ କାର୍ଡ଼ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ । କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ। ସରକାରୀ ବସ୍, ଟ୍ରେନ ଓ ଫ୍ଲାଇଟରେ ରିହାତି ଦରରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ ।
ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ୱାଇ-ଫାଇ ସୁବିଧା ଏହି କାର୍ଡରେ ମାଗଣାରେ ମିଳିପାରିବ । ଛାତ୍ରଛାତ୍ରୀଙ୍କ ସମସ୍ତ ଆକ୍ଟିଭିଟିର ତଥ୍ୟ ଏ କାର୍ଡରେ ରହିବ। ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯେତେ ଅଧିକ ଅଂଶଗ୍ରହଣ କରିବେ ସେତେ ଏ କାର୍ଡ ରିଚାର୍ଜ ହୋଇ ଚାଲିବ । କାର୍ଡ଼ରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ବଢ଼ି ଚାଲିବ । ପଏଣ୍ଟ ଅଧିକା ବଢ଼ିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ମେଧାବୃତ୍ତି ମିଳିବ।