September 20, 2024

ଓଡିଶା 30

ସବୁ ଜିଲ୍ଲା ଆମ ନଜର

ଅବସରପ୍ରାପ୍ତ ବୀର ସୈନିକଙ୍କୁ ଗ୍ରାମବାସୀଙ୍କ ନିଆରା ସ୍ଵାଗତ

1 min read

ବୌଦ୍ଧ- ସୀମାନ୍ତ ରେ ମାତୃଭୁମିର ସେବା କରି ନିଜ ଜନ୍ମ ମାଟିକୁ ଫେରିଛନ୍ତି ସୈନିକ । ପାଦେପାଦେ ଜୀବନ କୁ ବାଜିରେ ଲଗାଇ ଦେଶବାସୀ ଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସୈନିକ ର ସାହସୀକତା କୁ ବୁଝିଛନ୍ତି ଗ୍ରାମବାସୀ । ଚାକିରିରୁ ଅବସର ନେଲା ପରେ ଘର ବାହୁଡ଼ିଛନ୍ତି ବୀର ସୈନିକ ।

ଫୁଟୁଛି ବାଣ । ବାଜୁଛି ଦୁଦୁଲି ବାଜା । ନାଚଗୀତରେ ମସଗୁଲ ଛୋଟ ଠୁ ବଡ ପୁରୁଷ ଓ ମହିଳା । ଫାଟି ପଡୁଛି ଗାଁ ଦାଣ୍ଡ । ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ରୋଷଣିରେ ଆସୁଛନ୍ତି ବର । ବରକୁ ବରଣ କରିବା ପାଇଁ ଲାଗିଛି ଏଭଳି ଭିଡ । ଆପଣ ଯଦି ଭାବୁଛନ୍ତି ଏହା କାହା  ବାହାଘର କି କୌଣସି ଜାନିଯାତ୍ରା ତାହେଲେ ଆପଣ ଭୁଲ ଭାବୁଛନ୍ତି । ଏହା ହେଉଛି ବୀର ସୈନିକ ଙ୍କ ଘର ବାହୁଡା ର ଦୃଶ୍ୟ । ୨୦ ବର୍ଷ ଧରି ସୀମାନ୍ତରେ ମାତୃଭୁମିର ସେବା କରି ଅବସର ନେବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ସୈନିକ ପ୍ରଦୀପ କୁମାର ମଲିକ । ଦେଶର ସୀମାରେ ପ୍ରହରା ଦେଇ ଦେଶବାସୀ ଙ୍କୁ ଶାନ୍ତିରେ ଶୋଇବାକୁ ଦେଉଥିବା ବୀର ସୈନିକ ଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମବାସୀ ।

ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ (Chhatranga) ଗ୍ରାମପଂଚାୟତ ଧୁଙ୍ଗିଆମୁଣ୍ଡା (Dhungiamunda) ଗ୍ରାମର ପ୍ରଦୀପ କୁମାର ମଲିକ (Pradeep Kumar Mallik) । ୨୧/୦୭/୨୦୦୦ ମସିହାରେ ସି.ଆର.ପି.ଏଫ(CRPF) ଜବାନ ଭାବେ ଭର୍ତି ହୋଇଥିଲେ । ନିଯୁକ୍ତି ପାଇବା ପରେ ଦେଶ ସୀମାନ୍ତ ଜାମୁକାଶ୍ମିର , ତ୍ରିପରା ସମେତ ଆନ୍ଧ୍ର ପ୍ରଦେଶ,ଝାଡଖଣ୍ଡ ଭଳି ରାଜ୍ୟର ବିଭିନ୍ନ ମାଓ କମ୍ବି ଅପରେସନ ରେ ଭାଗ ନେଇଥିଲେ । କାର୍ଯ୍ୟ ସମୟରେ ଜାମୁକାଶ୍ମିର ରେ ବିଭିନ୍ନ ସମୟରେ ଆତଙ୍କବାଦ ମାନଙ୍କ ସହ ସାମ୍ନା କରି ଦୃଢ ଜବାବ ଦେଇଥିଲେ ଜବାନ । ଦୀର୍ଘ ୨୧ ବର୍ଷ ମାତୃଭୁମିର ସେବା ପରେ ଅବସର ନେଇ ଫେରିଛନ୍ତି ନିଜ ଜନ୍ମ ଭୁମିକୁ । ବୀର ସୈନିକ ପ୍ରଦୀପ ଙ୍କ ଏହି ଘର ବାହୁଡା କୁ ଗ୍ରାମବାସୀ ବହୁତ ଖୁସି ହେବା ସହିତ ନିଆରା ଢଙ୍ଗରେ ପ୍ରଦୀପ ଙ୍କୁ କରିଛନ୍ତି ଭବ୍ୟ ସ୍ୱାଗତ । ଅନ୍ୟପଟେ ଏବେ ଗ୍ରାମରେ ସମାଜ ସେବା କରିବା ସହିତ ଯୁବକ ମାନଙ୍କୁ ଜବାନ ହେବା ପାଇଁ ପ୍ରେରଣା ଯୋଗାଇବି ବୋଲି କହିଛନ୍ତି ପ୍ରଦୀପ ।

ନିରନ୍ତର ଦେଶ ସେବା କରି ଫେରିଥିବା ବୀର ଜବାନ ଙ୍କୁ କରାଯାଇଥିବା ଭବ୍ୟ ସ୍ୱାଗତ ହିଁ ବୟାନ କରିଛି ବୀର ସୈନିକଙ୍କ ପ୍ରତି ଧଙ୍ଗିଆମୁଣ୍ଡା ଗ୍ରାମବାସୀଙ୍କ ଭଲପାଇବା । ପ୍ରଦୀପଙ୍କ ପାଇଁ କେବଳ ଗାଁ କାହିଁକି ସାଙ୍ଗସାଥି ବି କରିଛନ୍ତି ଗର୍ବ ।

Leave a Reply

Your email address will not be published. Required fields are marked *